ଦକ୍ଷିଣ ଓଡ଼ିଶାରେ କଥିତ ଓଡ଼ିଆ ଭାଷାର ଅନେକ ବୈଶିଷ୍ଟ୍ୟ ରହିଛି । ନିଆରା ଶବ୍ଦସମ୍ଭାର, ଗଢ଼ଣ, ଖଞ୍ଜା, ଉଚ୍ଚାରଣ ଆଦି ଦେଖାଯାଏ । ଦକ୍ଷିଣ ଓଡ଼ିଶାର ଅନେକ ପ୍ରାଚୀନ କବିମାନେ ମଧ୍ୟ ଓଡ଼ିଆ ଭାଷାର ସାହିତ୍ୟ ଭଣ୍ଡାରକୁ ଅମୂଲ୍ୟ ରତ୍ନସବୁ ଥୋଇଦେଇ ଯାଇଛନ୍ତି । ଏହି ସୂତାରେ ସେଭଳି କେତୋଟି ଦୃଷ୍ଟାନ୍ତ ଏକାଠି କରିବା ଉଦ୍ଦେଶ୍ୟ । #ଓଡ଼ିଆ
୧. ମାନକ ଓଡ଼ିଆରେ ଅଧିକାଂଶ ଶବ୍ଦରେ ଅନ୍ତିମ ଧ୍ୱନି ସ୍ୱରବର୍ଣ୍ଣ (schwa) ଥାଏ ଓ ଏହା ମଧ୍ୟ ଉଚ୍ଚାରିତ ହୁଏ । କିନ୍ତୁ କେତେକ ଶବ୍ଦ ଏପରି ବି ଥାଏ ଯହିଁରେ ଅନ୍ତିମ ଧ୍ୱନି ସ୍ୱର ନ ଥାଏ, ଅର୍ଥାତ୍ ବ୍ୟଞ୍ଜନାନ୍ତ ଥାଏ । ଉଦା : ଭୁଲ୍, ଠିକ୍ । ବିଶେଷତଃ ବୈଦେଶିକ ଶବ୍ଦର ମୂଳ ଉଚ୍ଚାରଣ ରକ୍ଷା କରାଯାଇ ହଳନ୍ତ ପଡ଼େ, ଯଥା ଟାକ୍ସ୍, ମାଷ୍ଟର୍ ।
ଦକ୍ଷିଣ ଓଡ଼ିଶାରେ କିନ୍ତୁ ଏହି ପ୍ରବୃତ୍ତିଟି ଚରମରେ ପରିଲକ୍ଷିତ ହୁଏ । ଅବଶ୍ୟ ଏହା ଏକ ଖାଣ୍ଟି ଓଡ଼ିଆ ପ୍ରବୃତ୍ତି । ଏଣୁକରି ଆମେ ଦେଖୁଁ ଯେ ଯେଉଁ କେତେକ ଶବ୍ଦ ମାନକ ଓଡ଼ିଆରେ ବ୍ୟଞ୍ଜନାନ୍ତ ଥାଏ, ତାହା ମଧ୍ୟ ଦକ୍ଷିଣ ଓଡ଼ିଶାରେ ସ୍ୱରାନ୍ତ ଭାବେ ଉଚ୍ଚାରିତ ଓ ଲିଖିତ ହୁଏ । ଉଦାହରଣ : ଭୁଲ, ଠିକ (ଶେଷ 'ଅ' ସମ୍ପୂର୍ଣ୍ଣ କୁହାହୁଏ)
କବିସୂର୍ଯ୍ୟଙ୍କ କିଶୋରୀ ଚମ୍ପୂରେ 'ଠ' ପଟଳରେ ସେ ଲେଖିଛନ୍ତି :
ଠିକ ଠ ବର୍ତ୍ତୁଳ ଚନ୍ଦ୍ରାନନା ତୋ ଚିତ୍ତରେ
(ଶ୍ରୀକୃଷ୍ଣ ଲଳିତାଙ୍କୁ ବୋଲୁଛନ୍ତି, ତୋ ମୁଖଟି ଠିକ ଚନ୍ଦ୍ର ପରି ବର୍ତ୍ତୁଳାକାର)
ଅଦ୍ୟାବଧି ଏହି ଗୀତ ପାରମ୍ପରିକ ରାଗରେ ଯେଉଁପରି ବୋଲାଯାଏ, 'ଠିକ' ଶବ୍ଦ ଏହି ସ୍ୱରାନ୍ତ ବାଗରେ ହିଁ ଉଚ୍ଚାରିତ ହୁଏ ।
ସେପରି ବୈଦେଶିକ ଶବ୍ଦକୁ ଯଦି ଦେଖିବା, ଇଂରାଜୀରୁ ଆହରଣ ହୋଇଥିବା ଶବ୍ଦସବୁ ମଧ୍ୟ ଅବିଭକ୍ତ ଗଞ୍ଜାମରେ ସ୍ୱରାନ୍ତ ରୂପେ ଥାଏ । ଯଥା ମାଷ୍ଟର୍ (master) ଶବ୍ଦ ମାଷ୍ଟର କି ମାଷ୍ଟ୍ର ଏହି ରୂପ ଗ୍ରହଣ କରେ । ଟାକ୍ସ୍ (tax) ଶବ୍ଦ ଟିକସ ହୋଇଯାଏ । ଏଠାରେ ଶେଷ ଧ୍ୱନି 'ଅ' ।
ଶେଷ ସ୍ୱରବର୍ଣ୍ଣଟି 'ଉ' ମଧ୍ୟ ହୁଏ ଅନେକ ସ୍ଥଳରେ । ଯଥା ଟେବୁଲ୍ (table) ହୋଇଯାଏ ଟେବୁଲୁ । ବସ୍ (bus) ହୋଇଯାଏ ବାସୁ । ମାଉଥ୍ (mouth) ହୋଇଯାଏ ମାଉଥୁ ।
ଇଏ ତ ଗଲା ଇଂରାଜୀ । ଇଂରାଜୀ ଛଡ଼ା ଆମର ଶାସନରେ ଫାରସୀ ଆଦି ଭାଷା ଯେଉଁ ସମୟରେ ଥିଲା, ସେହି ପ୍ରଭାବରୁ ମଧ୍ୟ କେତେକ ଶବ୍ଦ ଚଳଣିରେ ଆସିଯାଇଛି । ବିଶେଷ କରି ନ୍ୟାୟ ବ୍ୟବସ୍ଥା ସମ୍ବନ୍ଧିତ ଅନେକ ଶବ୍ଦ ଏହି ସ୍ରୋତରୁ । ସେ ଯାହା ହେଉ, କବିସୂର୍ଯ୍ୟଙ୍କ ରଚନାରେ ଆମକୁ ଏଭଳି ସବୁ ଶବ୍ଦ ମଧ୍ୟ ସ୍ୱରାନ୍ତ ରୂପେ ପ୍ରାପ୍ତ ହୁଏ ।
ଫୌଜ୍ (fauj) ଶବ୍ଦ କବିସୂର୍ଯ୍ୟଙ୍କ ଲେଖନୀରେ ହୋଇଯାଏ :
ଫଉଜ ତୁଲେ କୁଞ୍ଜଦ୍ୱାରେ ରଖାଅ ବେତ୍ରବଲ୍ଲୀଧାରିଣୀକି । ସେପରି ଫରିୟାଦ୍ (fariyad) ହୋଇଯାଏ : ଫରିଆଦ କାହିଁ ତୋ ନାମେ କରିବି? ନିନ୍ଦା କଲେ ପଛ କରରେ । ଖୋର୍ (khor) ଅର୍ଥାତ୍ କୌଣସି ଜିନିଷରେ ଆସକ୍ତ । ଖୋର୍ ହୋଇଯାଏ : ଫତୁରିଖୋର ଆଖରକୁ ହେବାର ଏହି ଏକା ଏଥୁ ଫଳ ।
କିଶୋରୀ ଚମ୍ପୂର ଫ ପଟଳ ବିଶେଷ କରି ଏହିସବୁ ପ୍ରୟୋଗରେ ପରିପୂର୍ଣ୍ଣ । ଏତେ ଚାତୁର୍ଯ୍ୟରେ ସେ ଶବ୍ଦ ଖଞ୍ଜା ହୋଇଛି ଯେ ପ୍ରକୃତରେ ତାହା ଓଡ଼ିଆ ନୁହେଁ ବୋଲି ବି ଧରିପାରିବା କଷ୍ଟ । ଉଚ୍ଚାରଣ ଦିଗରୁ ଦେଖିଲେ ସମ୍ପୂର୍ଣ୍ଣ ଓଡ଼ିଆ ଭଳି ହିଁ ଶୁଭିବ । ଶବ୍ଦ ଆହରଣ କରିବା ମଧ୍ୟ ଗୋଟିଏ ପାଣ୍ଡିତ୍ୟପୂର୍ଣ୍ଣ କଳା ।
ସେପରି ଦୀୱାଲା (deewala) ଶବ୍ଦ ଦ ଚମ୍ପୂରେ ହୋଇଗଲା : ଦିବାଲା ହେବାର ଦେହମଜ୍ଜା ସାର ଜାଣି ଯା ହେଲା ମାନସ ମୋର । (ଲକ୍ଷ୍ୟ କରିବେ 'ୱ' ଧ୍ୱନି ଓଡ଼ିଆରେ ସ୍ୱତନ୍ତ୍ର ରୂପେ ତିଷ୍ଠେ ନାହିଁ ଏଣୁ କରି ତା ମଧ୍ୟ 'ବ'କୁ ପରିବର୍ତ୍ତିତ କରାଯାଇ ଓଡ଼ିଆ ଭାଷାର ପ୍ରାଚୀନ ସ୍ୱାଭାବିକ ଗୁଣକୁ ଅବିକୃତ ରଖାଗଲା) ।
ଅବଶ୍ୟ 'ଦିବାଲା' ଉଦାହରଣଟିରେ ସ୍ୱରାନ୍ତ ନିୟମର ଆବଶ୍ୟକତା ନାହିଁ କାରଣ ସେ ଶବ୍ଦ ପୂର୍ବରୁ ହିଁ ସ୍ୱରାନ୍ତ । ଦର୍ଦ୍ଦ୍ (dard) ସେପରି ଏକ ଶବ୍ଦ । କବିସୂର୍ଯ୍ୟ ଲେଖିଲେ : ଗୋଡ଼ ଖସି ଖେଦ ହେବାର ଦରଦ । ଏହି 'ଦରଦ' ଶୁଣିଲେ କିଏ ବା କହିବ ଏଇଟା ଓଡ଼ିଆ ନୁହେଁ?
ଆଉ କେତୋଟି ପ୍ରୟୋଗ ଦର୍ଶାଇ ଏ ଯାବନିକ ଶବ୍ଦ ଅଧ୍ୟାୟଟି ଏଠି ସାରିଦେବା । 'ଧମ୍‌କାନା' (dhamkānā) ହୋଇଗଲା 'ଧମକାଇଲା ନାହିଁକି କିଛି ଲାଜ?' । 'ମର୍ଜି' (marzi) ହୋଇଗଲା 'ତୋ ଘେନି ତମାଳଶ୍ୟାମ ମୋ ମରଜି କଷିଲାରେ' । ଆହୁରି ଅନେକ ଉଦାହରଣ ଅଛି କିନ୍ତୁ ସେଥିରୁ ନିବୃତ୍ତ ହେଲି ।
୨. ଯଦି ଶବ୍ଦର ପ୍ରଥମ ଅକ୍ଷରରେ କୌଣସି ସ୍ୱର ବର୍ଣ୍ଣ ଥାଏ, ତାହା ଦୀର୍ଘ ଭାବେ ଉଚ୍ଚାରିତ ହୁଏ । ଏହା ଆପଣ ସମସ୍ତେ ଶୁଣିକରି ବିସ୍ମିତ ହୋଇଥିବେ ନିଶ୍ଚିତ । ଯଥା :
କାଟୁ : କା'ଆ'ଟୁ
ବେଗି : ବେ'ଏ'ଗି
ଦୀର୍ଘୀକରଣ କେବେ କେବେ ଅନାଦ୍ୟ ବର୍ଣ୍ଣରେ ମଧ୍ୟ ଦେଖାଯାଏ ।
ଏହି ପ୍ରୟୋଗ କବିକଳହଂସ ଗୋପାଳକୃଷ୍ଣଙ୍କ ରଚନାରେ ଅନେକ ରହିଛି । ଯଥା ମାଳବଗୌଡ଼ା ରାଗ ଏକତାଳିରେ ଲେଖିଛନ୍ତି : ହେଟି ମା କେଟି କୁଞ୍ଜକୁଟୀରେ । ଏହା ଦକ୍ଷିଣ ଓଡ଼ିଶାର ନ ହୋଇଥିଲେ କାନକୁ ଭାରି ଅଡ଼ୁଆ ଶୁଭିପାରେ - ଇଏ ତ ଛିଣ୍ଡିବ ନାହିଁ । କିନ୍ତୁ ଗାୟନ କେମିତି କରାଯାଏ?
ହେ'ଏ'ଟି ମାଆ କେ'ଏ'ଟି
କୁଞ୍ଜକୁଟୀରେ /
୩. ସମ୍ବୋଧନ କରିବା ଅର୍ଥରେ ଓଡ଼ିଆରେ ସାଧାରଣତଃ ଲାଗେ 'ଲୋ' 'ଗୋ' 'ରେ' 'ହେ' 'ହୋ' ଇତ୍ୟାଦି । ଦକ୍ଷିଣ ଓଡ଼ିଶାର ନିଆରା 'ମା' । ଗୋପାଳକୃଷ୍ଣଙ୍କ ରଚନାରେ ବହୁଳ ପରିମାଣରେ ପ୍ରାପ୍ତ ହୁଏ :
ମୋହନରୀତି ଚିହ୍ନାପଡ଼ିଲା ମା
ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର ମା
ଏ କି ପରମାଦ ଆସି ପଡ଼ିଲା ମା
ମନେ ପଡ଼ୁଛି ମା ସେହି ଚନ୍ଦ୍ରମୁଖ
ଆହୁରି କେତେକ :
ଗୋଷ୍ଠଚନ୍ଦ୍ରମା ଆସିବେ ଆଜ ମା, ସାଜ ସଜ

କାହା ଚିତ୍ତ ତାହା ଚାହିଁ ନ ବଳିବ
ଯାହା ଦେଖିଲି ଗୋ ମା

ଆଜ ବ୍ରଜରାଜ ପୁରେ ଲାଜେ ମୁଁ ବୁଡ଼ିଲି ମା

କାନନର ବିତାନରେ ଏ କି ଗାନ ଶୁଭୁଛି ମା
ମୋର କହିବାର ଅର୍ଥ ନୁହେଁ ଯେ ଦକ୍ଷିଣ ଓଡ଼ିଶାରେ 'ରେ' 'ଗୋ' 'ହେ' ଏସବୁ ପ୍ରୟୋଗ ହୁଏନାହିଁ । ହୁଏ । କିନ୍ତୁ 'ମା'ଟି ଏକ ବିଶେଷ ଜିନିଷ ।
୪. 'ର' ପ୍ରତ୍ୟୟ ଲାଗି ଧାତୁରୂପରୁ ବର୍ତ୍ତମାନ କାଳ ଅର୍ଥରେ ବ୍ୟବହୃତ କ୍ରିୟାପଦ ଗଠିତ କରାଯାଏ । ଯଥା, ଖାଇବାର, ରହିବାର, ଯିବାର, କରିବାର, ବୋଲିବାର, କହିବାର, ଇତ୍ୟାଦି । "ମୁଁ ଇନ୍ତି ଆକା କହିବାର" ଅର୍ଥାତ୍ "ମୁଁ ଏମିତି ହିଁ [କଥା] କହେ" ।
ପୁଣି ଗୋପାଳକୃଷ୍ଣେ :
- ପରଂପଦରେ ନଥିବାର ମାଧୁରୀ ଯେ
- ମୁଖେ ମୁଖ ଦେଇ ତାମ୍ବୁଳ ଦେବାର
- ଲେଉଟିବା ଯାଏ ଅନାଉଥିବାର
- ମୋହନ ତୁନାଇ ହୋଇବାର ଯେ
(ରାସେଶ୍ୱରୀ ସେବାଭିଳାଷ ଛାନ୍ଦ)
ଅନ୍ୟ ଏକ ସେବାଭିଳାଷ ଛାନ୍ଦ :
- ଅଗୁଳା ଗୁରୁ ଉଲାଗି ମାଳା ମୋତେ
ଡାକି ଆଗ କରି ଦେବାର ଯେ ହାତେ
- ବୈଜୟନ୍ତୀ ଗୁନ୍ଥିଲାର ବେଳେ ମୋତେ
ଧୀରେ ଗୀତ ଶିଖାଇବାର ଯେ କେତେ
- ବାସ ବଢ଼ାଇବାର ମୁଁ କରି କୁଞ୍ଚି
- ଧୋଇ ପଦାବ୍ଜ ପୋଛୁ ମୋ ପଣନ୍ତରେ
କରଭର ଦେଲାର ମୋ ଚରମରେ
- କେବେ ସ୍ୱାମିନୀ ମୋ ପରେ ହେଲେ କୋପ
ବହୁଥିବାର ଦେଖି ନୟନୁଁ ବାଷ୍ପ
ଗୋପାଳକୃଷ୍ଣ ଏହାକୁ ଏତେ ପ୍ରୟୋଗ କରିଛନ୍ତି ଯେ ସବୁ ଲେଖିପାରିବା ଅସମ୍ଭବ ।
ଶୁଣାଯିବ କି ସେ ଶ୍ରୀମୁଖରୁ ବାଣୀ
ଶ୍ରବଣେ ମୋର? । ଘୋଷା ।
ବନ ଲେଉଟାଣି ବଂଶୀସ୍ୱନ ଶୁଣି
ଅଗଣାରେ ଆଳୀଙ୍କି ଡାକିବାର । ୨ ।
ମୋହନ ଶ୍ରୀହସ୍ତ ଚିଟାଉ ଏକାନ୍ତ
ସ୍ଥଳେ ରହି ହସି ପାଠ କଲାର । ୩ ।
ପଦାବ୍କସେବାକୁ ଗୋପାଳକୃଷ୍ଣକୁ
ଆସ ବୋଲିବାର ସ୍ୱାମିନୀଙ୍କର । ୫ ।
ଥିବ ତ ପରା ନୂପୁର ଗୋ ଲଳିତେ
ଥିବ ତ ପରା ନୂପୁର
ଚାଲିଚାତୁରୀକି ସମ ହୋଇଛି ସେ
ଝୁମୁଝୁମୁ ବାଜିବାର ରେ ।
(କି ନାମ ବୋଇଲୁ ତୁହି)
ବ୍ରଜେନ୍ଦ୍ରନନ୍ଦନ ସହି
ଏକା ଶ୍ରୀରାଧାର? । ଘୋଷା ।
ଚନ୍ଦ୍ରାବଳୀ ଆଦି କରି ପଶୁପ ନଗରୀ ନାରୀ
ବୃଥା ପଛେ ପଛେ ଧାଇଁବାର । ୧ ।
ଏହି ପ୍ରକ୍ରିୟାର ଗୋଟିଏ ରୋଚକ ରୂପ ହେଲା : ଥାଉଥିବାର । ବଡ଼ ବିଚିତ୍ର ଶୁଭେ କିନ୍ତୁ ପ୍ରଚଳିତ ।
୫. ବ୍ୟଞ୍ଜନ ବର୍ଣ୍ଣରେ ପ୍ରାୟୋଗିକ ଦୃଷ୍ଟିରୁ ଦ୍ୱିତ୍ୱ ଘଟେ । ଅର୍ଥାତ୍ ଧରନ୍ତୁ ଶବ୍ଦଟି ହେଲା ଥଟା, ଦକ୍ଷିଣ ଓଡ଼ିଶା ଲୋକ କହିବେ ଥଟ୍ଟା । ସେପରି 'କଡ଼ା' ହେବ 'କଡ୍ଡା' । ଉଦା : 'ଗୋଟେ ମା'ଡ୍ଡ (ମାଡ଼) ପଡ଼ିବ ଯେ ଏ'କାଥରେ ତୋର ହ'ରି ଛାଡ଼ିଯିବ' । ଏହା emphasis ବା ଜୋର ଦେଇ କୁହାଗଲେ ପ୍ରୟୋଗ ହୁଏ ।
ଏହି ଗୁଣକୁ କଟାକ୍ଷ କରି ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳର ଲୋକ 'ଦକ୍ଷିଣୀ ଟାଣ' ବୋଲି କେବେ କେବେ ବୋଲୁଥାଆନ୍ତି । ଏହି ଦ୍ୱିତ୍ୱକୁ ସୂଚିତ କରାଏ । ଏଭଳି ଦ୍ୱିତ୍ୱ ସାଧାରଣତଃ ରାଗରୁଷା ମାଡ଼ଗଳରେ ପ୍ରୟୋଗ ହୁଏ । ଏହା ଲାଳିତ୍ୟପୂର୍ଣ୍ଣ କି ମଧୁର ଅର୍ଥରେ ଲାଗେନି । ଏଣୁକରି ଶୃଙ୍ଗାରରସାତ୍ମକ ଗୀତରେ ଖୋଜିବା ନିରର୍ଥକ ।
କିନ୍ତୁ ରୌଦ୍ରରସାତ୍ମକ ଗୀତରେ ଏହା ସୁନ୍ଦର ଭାବେ ପ୍ରୟୋଗ ହୋଇଥିବା ମିଳେ । ପ୍ରହଲ୍ଲାଦ ନାଟକ, ଗଞ୍ଜାମର ଏକ ପାରମ୍ପରିକ ସାଙ୍ଗୀତିକ ନାଟକ । ଏଥିରେ କାମୋଦୀ ରାଗରେ ହିରଣ୍ୟକଶ୍ୟପ ନିଜ ଅମାନିଆ ପୁଅକୁ କହେ :
ତୁରେ କୁମର, କହୁ କେଡ଼େ ଛଟାରେ
କାହିଁ ସେ ହରି ଭେଟାରେ
ପ୍ରକୃତରେ ବୋଲିଲା ବେଳକୁ ହୋଇଯାଏ :
ତୁରେ କୁ'ମର, କହୁ କେଡ଼େ ଛଟ୍ଟାରେ
କାହିଁ ସେ ହରି, ଭେଟ୍ଟାରେ
କହୁ କେଡ଼େ ଛଟ୍ଟାରେ, ଛଟ୍ଟାରେ, ଛଟ୍ଟାରେ
- ତୁ ମୋତେ କେତେ ବତାଉ ସଟାବଟ୍ଟାରେ
- ହୋଇପାରେ କି ବନ୍ଦନ ଛାରକୁଟ୍ଟାରେ
ଏଭଳି ଜାଣିଶୁଣି ସେହି ଗୀତରେ ପ୍ରତ୍ୟେକ ପଦରେ କରାହୋଇଛି । 'ଟ' 'ଡ' ଏସବୁ ଧ୍ୱନି ଭାରି hard ଶୁଭେ । ଏଣୁକରି ।
You can follow @pattaprateek.
Tip: mention @twtextapp on a Twitter thread with the keyword “unroll” to get a link to it.

Latest Threads Unrolled:

By continuing to use the site, you are consenting to the use of cookies as explained in our Cookie Policy to improve your experience.